ଦୁର୍ଘଟଣାରେ ଗୋଟିଏ ଗୋଡ଼, ଦୁଇ ହାତ ହରାଇ ଜୀବନ ସହ ସଂଘର୍ଷ କରୁଥିବା ଚିଂଟୁଙ୍କୁ ଭେଟିଛନ୍ତି ଅଭିନେତା ବାବୁସାନ୍
କଟକ ବଡ ଡାକ୍ତରଖାନାରେ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ଚିଂଟୁକୁ ଭେଟିଛନ୍ତି ଅଭିନେତା ବାବୁସାନ୍ । ମୋତେ ଖୋଜୁଥିଲୁ.. ଏବେ ଆସିଗଲି.. କହି ହସାଇଲେ,ସାନ୍ତନା ମଧ୍ୟ ଦେଲେ । ବେକରେ ପିନ୍ଧିଥିବା ମାଳ କାଢି ଚିଣ୍ଟୁର ମୁଣ୍ଡରେ ଲଗାଇ ଦେଇଥିଲେ ବାବୁସାନ୍ । ଭଗବାନ ସବୁ କିଛି ଠିକ୍ କରିଦେବେ କହି ପରିବାର ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି । ଚିଣ୍ଟୁର ମୁଣ୍ଡକୁ ଆଉଁସି ଦେବା ସହିତ ଗଲାବେଳେ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । କେବଳ ସେତିକି ନୁହେଁ ନିଜ କୁନି ପ୍ରଶଂସକଙ୍କ ସହ ଭେଟିବା ସମୟର ଫଟୋ ବାବୁସାନ ସୋସିଆଲ ମିଡିଆରେ ଅପଲୋଡ କରି ଚିଂଟୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଚିଂଟୁ ହେଉଛି ଢେଙ୍କାନାଳ ଜିଲ୍ଲା, କାମାକ୍ଷାନଗର ଅଞ୍ଚଳର ନବମ ଶ୍ରେଣୀର ଛାତ୍ର | ୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଯିବା ପରେ ଦେହ ଜଳି ଯାଇଥିଲା । ଏବେ ଡାକ୍ତର ଚିଂଟୁଙ୍କର ଦୁଇଟି ହାତ ଓ ଗୋଟିଏ ଗୋଡ କାଟି ଦେଇଛନ୍ତି । ଦୁଇ ହାତ ଓ ଗୋଡ ହରାଇବା ପରେ ଚଳିତ ବର୍ଷ କିପରି ପାଠ ପଢି ପରୀକ୍ଷା ଦେବେ କେହି କଥା ଭାବି ଚିଂଟୁଙ୍କ ଆଖିରୁ ଲୁହ ଶୁଖୁନି । ଏପଟେ ପୁଅର ଅଧିକ ଚିକିତ୍ସା ପାଇଁ ପରିବାର ହାତରେ ମଧ୍ୟ ଅର୍ଥ ନାହିଁ । ଚିଂଟୁଙ୍କର ବାପା ପ୍ରଦୀପ ବିଶ୍ୱାଳ ଜଣେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ପୁଅର ଚିକିତ୍ସା ପାଇଁ ଏବେ ଆର୍ଥିକ ସମସ୍ୟା ଦେଖା ଦେଇଥିବାରୁ ଚିନ୍ତାରେ ପଡିଛନ୍ତି । ସହୃଦୟ ବ୍ୟକ୍ତି ଚିଂଟୁଙ୍କର ସହାୟତା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଚିଂଟୁଙ୍କର ପରିବାର ।